ଆକ୍ସନ ମୋଡ଼ ରେ ଚିତ୍ରକୋଣ୍ଡା ତହସିଲଦାର ଶ୍ରୀ ଦୋରା…
ମାଲକାନଗିରି (ସଖପ୍ର):ଜଙ୍ଗଲ କଡ଼ ରେ ଥିବା ସରକାରୀ ଜମି ରେ ଜେସିବି ମେସିନ ଲଗାଇ ରାତାରାତି ବେଆଇନ ଭାବେ ପୋଖରୀ ଖନନ କଲେ ଅସାଧୁ ବ୍ୟକ୍ତି, ଖବର ଶୁଣି ତୁରନ୍ତ ଜାଗା ଉପରେ ପହଁଚି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ତହସିଲଦାର। ଆଜି ଏପରି ଏକ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାମବେଡା ରାଜସ୍ବ ବିଭାଗ ଅନ୍ତର୍ଗତ ଏମଭି-୩୫ ଗ୍ରାମରେ ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନାନୁଯାୟୀ ଏମଭି-୩୫ ଗ୍ରାମର ସତ୍ୟ ବିଶ୍ୱାସ ଙ୍କ ପୁଅ ମାଣିକ ବିଶ୍ୱାସ ପୂର୍ବରୁ ଜଙ୍ଗଲ ଜମି କଡେ ଏକ ଘର ତିଆରି କରିଥିଲେ ପରେ ସେଠାରେ ପୋଖରୀ ଖନନ କରିବା ନିମନ୍ତେ ପ୍ରୟାସ କରିଥିଲେ। ତେବେ ଏହି ଖବର ଶୁଣିବା ମାତ୍ରେ ରାଜସ୍ବ ନିରୀକ୍ଷକ ଆସି ଏପରି ଆଇନ ବିରୋଧୀ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଥିଲେ। ତଥାପି ଉକ୍ତ ଅସାଧୁ ବ୍ୟକ୍ତି ଜଣକ ରାଜସ୍ବ ନିରୀକ୍ଷକ ଙ୍କ କଥା ନ ଶୁଣି ନିଜ ମନ ମୁତାବକ ଏକ ବୃହତ ଅଞ୍ଚଳରେ ଜେସିବି ମେସିନ ଲଗାଇ ରାତାରାତି ପୋଖରୀ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ସକାଳୁ ପୁଣି ଖବର ପାଇ ପ୍ରଥମେ କାମବେଡା ରାଜସ୍ବ ନିରୀକ୍ଷକ ବିଭୁଦତ୍ତ ଗୌଡ଼ ପହଞ୍ଚିଥିଲେ। ପରେ ଉକ୍ତ ଅଞ୍ଚଳ ବନ ବିଭାଗ ର ବନରକ୍ଷୀ ସୁବ୍ରତ ପରିଡା ମଧ୍ୟ ପହଞ୍ଚିଥିଲେ। ତେବେ ବନ ବିଭାଗ ର ଅନୁମତି ନ ନେଇ ବୃହତ କାୟ ବୃକ୍ଷ ଗୁଡିକ ମାଟିରେ ମିଶାଇ ଦେଇଥିବା ହେତୁ ସେ ମାଣିକ ଙ୍କ ପିତା ସତ୍ୟ ବିଶ୍ୱାସ ଙ୍କ ଉପରେ ବହୁତ ବିରକ୍ତି ପ୍ରକାଶ କରିଥିଲେ। ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ଏବଂ ଓରକେଲ ଥାନା ର ଏକ ଟିମ ପହଂଚି ଆକ୍ସନ ମୋଡ଼ ରେ ଆସି ଜେସିବି କୁ ଜବତ କରାଇବା ସହ ମାଣିକ ବିଶ୍ୱାସ ନାମରେ ଏକ ଲକ୍ଷ ଟଙ୍କାର ଚାଲାଣ କାଟିଥିଲେ। ଓରକେଲ ଥାନାଧିକାରୀ ରଘୁନାଥ ମାଝୀ ଙ୍କ ନେତୃତ୍ୱରେ ଉକ୍ତ ଜେସିବି ମେସିନ ଟିକୁ ଜବତ କରି ଥାନା କୁ ନିଆଯାଇଥିଲା। ପୂର୍ବରୁ ଏହି ଅଞ୍ଚଳ ଗୁଡିକ ରେ ସରକାରୀ ଜାଗା ଏବଂ ଜଙ୍ଗଲ ଜମି ଗୁଡିକୁ ହଡପ କରି ଯେଉଁ କିଛି ଅସାଧୁ ବ୍ୟକ୍ତି ମାନେ ଏପରି ଆଇନ ବିରୋଧୀ କାର୍ଯ୍ୟ କରିଛନ୍ତି ଆଜି ଏପରି ଘଟଣା ଘଟିବା ଦ୍ୱାରା ସେମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏପରି ଅସାଧୁ ଜାଗା ମାଫିଆ ଙ୍କ ଉପରେ ଏହିପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ସୂଚନା ଦେଇଛନ୍ତି।
ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ