ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଛତୁଆ ପ୍ରସ୍ତୁତି ଅଭିଯୋଗ

ମାଲକାନଗିରି (ସଖପ୍ର): ମାଲକାନଗିରି ସଦର ବ୍ଲକର ସିଆଡିମାଳ ଗ୍ରାମର ଗୌରୀ ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ରହିଛି ଏକ ଛତୁଆ ପ୍ରସ୍ତୁତି ଏବଂ ବଣ୍ଟନ ଦାୟିତ୍ବ। କିନ୍ତୁ ଏହା ଗୌରୀ ସ୍ବୟଂ ସାହାୟକ ଗୋଷ୍ଠୀ ନିଜେ ନକରି ଜଣେ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ମିଲ ରଖି ଛତୁଆ ପ୍ରସ୍ତୁତ କରୁଛନ୍ତି। ତେବେ ଆଜି ମାଲକାନଗିରି ଠାରେ ରହିଥିବା ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ଛତୁଆ ପ୍ରସ୍ତୁତ କରାନଯାଇ ଅନ୍ୟ ଏକ ଅସ୍ବାସ୍ଥ୍ୟକର ପରିବେଶରେ ରହିଥିବା ଏକ ମିଲରେ ଛତୁଆ ପ୍ରସ୍ତୁତ କରାଯାଉଥିବା ବେଳେ ଆନ୍ତର୍ଜାତିକ ମାନବଧିକାର କାଉନସିଲର କର୍ମୀମାନେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଶିଶୁମାନଙ୍କ ପାଇଁ ଏଭଳି ଭାବେ ଦୂଷିତ ପରିବେଶରେ କିପରି ଛତୁଆ ପ୍ରସ୍ତୁତ କରାଯାଉଛି ବୋଲି ପଚାରିବାରୁ ସେମାନଙ୍କ ଉପରେ ଆକ୍ରମଣ କରାଯିବା ସହ ଗାଳିଗୁଲଜ ମଧ୍ୟ କରାଯାଇଥିବା ଅଭିଯୋଗ କରାଯାଇଛି। ମାଲକାନଗିରି ବ୍ଲକର ସିଆଡିମାଳ ଗ୍ରାମର ଗୌରୀ ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଛତୁଆ ପ୍ରସ୍ତୁତ କରିବାକୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ଏହାକୁ ସେଠାରେ କରାନଯାଇ ମାଲକାନଗିରି ସହର ଜଣକ ଘରେ ଏହା ପ୍ରସ୍ତୁତ କରାଯାଉଛି ସେନେଇ ପ୍ରଶ୍ନ କରାଯାଇଛି। ଗତକାଲି ୨୩ ତାରିଖ ଥିବାବେଳେ ସିଡିପିଓ ସମେତ ସମସ୍ତ ଅଧିକାରୀ ସମ୍ମୁଖରେ ଛତୁଆ ପ୍ରସ୍ତୁତ କରିବା କଥା କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ଜାଣତରେ ଏହା ଆଉ ଏକ ମିଲରେ ଦୁଷିତ ପରିବେଶରେ ଚତୁଆ ପ୍ରସ୍ତୁତ କରାଯାଉଥିବା ଜଣାପଡିଥିଲା। ତେବେ ଏହାକୁ ବିଭାଗୀୟ ଅଧିକାରୀ ମାନେ ଜାଣି ମଧ୍ୟ ଅଜଣା ଭଳି ରହିଛନ୍ତି। ଭିତିରିଆ ସଲାସୁତୁରାରେ ଏଭଳି କାର୍ଯ୍ୟ ଚାଲିଥିବା ଅଭିଯୋଗ କରାଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନର ଅଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କୁ ହାତବାରିସି କରି ଏଭଲି ଛତୁଆରେ ଅନିୟମିତତା କରି ଚାଲିଥିବା ଅଭିଯୋଗ କରିଥିଲେ। ଜିଲ୍ଲାପାଳ ନିଜେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଆଜି ଆନ୍ତର୍ଜାତିକ ମାନବଧିକାର କାଉନସିଲ ଗୀତାଞ୍ଜଳୀ ମହାପାତ୍ର, ଦୀପକ ସାହା, ମୀନା ରାୟ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ କରି କିପରି ଛତୁଆ ପ୍ରସ୍ତୁତିରେ ଅନିୟମିତତା ହେଉଛି ସେନେଇ ବଖାଣିଥିଲେ। ବିଭାଗୀୟ ଅଧିକାରୀ ମାନେ ଜାଣିଶୁଣି ଏହାକୁ ଚପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ଏହାର ଲୋକଲୋଚନକୁ ଆଣିବା ପରେ ତାଙ୍କ ବିରୋଧରେ ଥାନାରେ ଏତଲା ଦାୟର କରାଯାଉଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ କିପରି ଛତୁଆ ପ୍ରସ୍ତୁତ କରୁଛି ତାହା ତଦନ୍ତ ସାପେକ୍ଷ। ଛତୁଆରେ ହେଉଥିବା ଅନିୟମିତିତା ସଂପର୍କରେ ମାଲକାନଗିରି ଜିଲ୍ଲା ଆନ୍ତର୍ଜାତିକ ମାନବାଧିକାର କାଉସିଲର କର୍ମୀମାନେ ଏହା ଜାଣିବା ପରେ ଚଢାଉ କରିବା ସହ ଏନେଇ ଜିଲ୍ଲା ସମାଜ ମଂଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ଦୀର୍ଘଦିନ ହେଲା ମାଲକାନଗିରି ସଦର ମହକୁମାରେ ଛତୁଆ ଦୂଷିତ ପରିବେଶରେ ଏବଂ ଅତି ନିମ୍ନମାନର ଛତୁଆ ପ୍ରସ୍ତୁତ କରି ମାଲକାନଗିରି ବ୍ଲକ ସାରା ବଣ୍ଟନ କରାଯାଇଥିଲେ ମଧ୍ୟ କିପରି ବିଭାଗୀୟ ଅଧିକାରୀ ଚୁପ ରହୁଥିଲେ ତାହା ତଦନ୍ତ ସାପେକ୍ଷ। ତେବେ ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନଙ୍କୁ ପଚାରିବାରୁ ସେ ଲିଖିତ ଅଭିଯୋଗ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ଅନ୍ୟଦିଗରେ ସିଡିପିଓ ବି. ପଦ୍ମାଙ୍କୁ ପଚାରିବାରୁ ଅଭିଯୋଗ ଆସିଛି, ତଦନ୍ତ ପକ୍ରିୟା ଚାଲିଛି ବୋଲି କହିଥିଲେ। ଏନେଇ ଜିଲ୍ଲାପାଳ ଵିଶାଲ ସିଂ ଙ୍କୁ ପଚାରିବାରୁ ଏ ବିଷୟରେ ମୁଁ ଅବଗତ ଅଛି ଏବଂ ଏହାର ତଦନ୍ତ କରାଯାଉଛି ବୋଲି କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏଥିରେ ଯିଏ ମଧ୍ୟ ସାମିଲ ଥିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ। ଦେଖିବାକୁ ବାକିରହିଲା ଆଗକୁ କଣ ଘଟୁଛି।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ