ଅସହାୟ ଲକ୍ଷ୍ମୀ ପାଖରେ ପହଞ୍ଚିଲେ ବିଡିଓ
କଲମପୁର (ସଖପ୍ର): ନିଜ ସ୍ୱାମୀ ଡମୁ ମାଝୀର ମୃତ୍ୟୁ ପରେ ଏବେ ତିନି ସନ୍ତାନକୁ ନେଇ ଅସହାୟ ଜୀବନ ଜୀଉଁଛନ୍ତି ଗୋପିନାଥପୁର ପଞ୍ଚୟତ ଅଧୀନସ୍ଥ କନରପାସ ଗ୍ରାମର ବୃଦ୍ଧା ଲକ୍ଷ୍ମୀ। ଘରର ମୁରବୀ ସହିତ ପର ହାତକୁ ଚାଲିଯାଇଛି ସରକାରଙ୍କ ଦ୍ୱାରା ପ୍ରଦପ୍ତ ଖାଉଟି କାର୍ଡ। ତିନି ସନ୍ତାନଙ୍କୁ ଖାଇବାକୁ ଦେବାରେ ଅସମର୍ଥ ହେଉଥିବା ବେଳେ ଦାଉ ସାଧିଲା କୃଷ୍ଠ ରୋଗର ପ୍ରଭାବ। ଯାହାରି ପାଇଁ ଦିନକୁ ଦିନ ଅସହାୟ ହୋଇ ପଡୁଥିଲା ନିଜ ସନ୍ତାନଙ୍କ ଭବିଷ୍ୟତ ନେଇ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବରଗଡ ଅଞ୍ଚଳର ଜନୈକା ସାମାଜିକ କର୍ମୀ ଦୀପା ବାରିକ ଅସହାୟ ପରିବାରକୁ ସମାଜିକ ସୁରକ୍ଷା ଓ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲା ପ୍ରଶାସନକୁ ଟ୍ୱିଟ ମାଧ୍ୟମରେ ଅବଗତ କରାଇଥିଲେ। ବିଡିଓ ନିଶାନ ମିଶ୍ର ଏନେଇ ସୂଚନା ପାଇବା ପରେ ତୁରନ୍ତ କନରପାସ ଯାଇ ଲକ୍ଷ୍ମୀର ଦୟନୀୟ ଅବସ୍ଥା ଦେଖିଥିଲେ। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇଛନ୍ତି। ବିଡିଓ ଶ୍ରୀ ମିଶ୍ରଙ୍କ ସୂଚନା ଅନୁସାରେ ତୁରନ୍ତ ଏହି ପରିବାରକୁ ସାମାଜିକ ସୁରକ୍ଷା ଯୋଜନା ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି।