12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅକ୍ଟୋବର ୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରେ ଦିଆଯାଇଥିବା ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ସ୍ଥଗିତ ରହିଛି । ବସ୍ ଧର୍ମଘଟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ । ବିଭିନ୍ନ ଦାବି ପୂରଣ ନେଇ ବସ୍ ଧର୍ମଘଟ ଡାକରା ଦେଇଥିଲା ବସ୍ ମାଲିକ ସଂଘ । ଆଜି ସିଏମ୍‌ଓ ଓ ବସ୍ ମାଲିକ ସଂଘ ବୈଠକ ବସିଥିଲା । ବୈଠକ ସଫଳ ହୋଇନଥିଲେ ମଧ୍ୟ ଆଲୋଚନା ସକାରାତ୍ମକ ହୋଇଥିବା ବସ୍ ସଂଘ ପକ୍ଷରୁ କୁହାଯାଇଥିଲା । ଆଜି ଅପରାହ୍ନରେ ବସ୍ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ବିଭିନ୍ନ ଦାବି ଉପରେ ଆଲୋଚନା ହୋଇଥିଲା । ବୈଠକ ପରେ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬୦୦ ବସ୍ ଚଳାଇବେ । ୧୬୦୦ରୁ ୧୦୦୦ ପଞ୍ଚାୟତରୁ ବ୍ଲକ ଓ ୬୦୦ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଚାଲିବ ବସ୍ । ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ଚାଲିବାକୁ ଥିବା ବସରେ ଆମର ସମସ୍ୟା ନାହିଁ । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଯିବାକୁ ଥିବା ବସ୍ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାର ନାହିଁ । ଏବେ ଜିଲ୍ଲା ମୁଖ୍ୟାଳୟ ବସ୍ ଚାଲିବାକୁ ନଥିବାରୁ ୩୧ ଯାଏଁ ଧର୍ମଘଟ ସ୍ଥଗିତ ରହିଲା ବୋଲି ଶ୍ରୀ ସାହୁ କହିଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାରେ ଘରୋଇ ବସ୍ ମାଲିକଙ୍କ ବସ୍ ଗୁଡିକୁ ସାମିଲ କରିବାକୁ ନେଇ ରାଜ୍ୟ ସରକାର ଓ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ରହିଥିବା ବିବାଦ ତୁଟିନାହିଁ । ଆଲୋଚନାର କୌଣସି ସୁଫଳ ନ ମିଳିବାରୁ ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ସମଗ୍ର ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହା ପୂର୍ବରୁ ଗତ ଅକ୍ଟୋବର୍ ୨ ତାରିଖ (ଗାନ୍ଧୀ ଜୟନ୍ତୀ) ଦିନ ଏହି ସମାନ ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲା (ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର)ରେ ବସ୍ ଚଳାଚଳ ବନ୍ଦ ରଖାଯାଇଥିଲା । ରାଜ୍ୟ ସରକାର ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗାନ୍ଧୀ ଜୟନ୍ତୀରୁ ମାଲାକାନଗିରି ଜିଲ୍ଲାରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଯୋଜନା ଅନୁସାରେ ପ୍ରତି ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟ, ବ୍ଲକ୍ ମୁଖ୍ୟାଳୟରୁ ଜିଲ୍ଲା ସଦର ମହକୁମା, ଜିଲ୍ଲା ସଦର ମହକୁମାରୁ ରାଜଧାନୀକୁ ବସ୍ ଚଳାଚଳ ପାଇଁ ଯୋଜନା ହୋଇଛି । ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟର ବିଭିନ୍ନ ରୁଟରେ ଚାଲିଥିବା ୧୪ ହଜାର ଘରୋଇ ବସ୍ ପ୍ରଭାବିତ ହେବେ । ଏହାଦ୍ୱାରା ପ୍ରତ୍ୟକ୍ଷ ଭାବେ ୮ ହଜାର ବସ୍ ମାଲିକ କ୍ଷତି ସହିବେ । ସେହିଭଳି ଘରୋଇ ବସ୍ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲକ୍ଷାଧିକ କର୍ମଚାରୀ ମଧ୍ୟ କ୍ଷତି ସହିବାର ଆଶଙ୍କା ପ୍ରକାଶ କରି ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଏ ନେଇ କିଛି ପ୍ରସ୍ତାବ ପଠାଇଥିଲେ । ପୁନଶ୍ଚ ଲକ୍ଷ୍ମୀ ବସ୍ ଯୋଜନାରେ ଘରୋଇ ବସଗୁଡିକୁ ସାମିଲ କରି ବିଭିନ୍ନ ରୁଟରେ ଚଲାଇବାକୁ ସଂଘ ଦାବି କରିଥିଲା । ମୋ ବସଗୁଡିକୁ କେବଳ ସହରାଞ୍ଚଳରେ ଚଲାଇବାକୁ ମଧ୍ୟ ସଂଘ ଦାବି କରିଥିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *