03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଜିଲ୍ଲାରେ ପେଶା ଆଇନର ଖୋଲା ଉଲଙ୍ଘନ,ଟେଣ୍ଡର ଫିକ୍ସିଂର ଆଶଙ୍କା

କୋରାପୁଟଜିଲ୍ଲା:(ସଖପ୍ର) ପେଶା ଏକ୍ଟ କହୁଛି ଯେଉଁ ଜିଲ୍ଲା ଗୁଡିକ ଏହି ଆଇନର ନିୟମାବଳୀରେ ସ୍ଥାନ ପାଇଛନ୍ତି, ସେହି ଅଞ୍ଚଳ ମାନଙ୍କରେ ଲଘୁ ଖଣିଜ ଯେମିତି ବାଲି, ପଥର, ମାଟି ଉତ୍ତୋଳନ କରିବା ପୂର୍ବରୁ ଗ୍ରାମସଭା କରି ଲୋକ ମାନଙ୍କ ମତ ନେବାର ଅଵଶ୍ୟକତା ଅଛି।ଗ୍ରାମସଭାର ସଭାପତି ରହିବେ ସେହି ପଞ୍ଚାୟତର ସରପଞ୍ଚ, ତଥା ଜିଲ୍ଲା ପରିଷଦ ସଭ୍ୟ ସଭାରେ ରହି ଅନୁମୋଦନ ପ୍ରଦାନ କରିବାର ନିୟମ ରହିଛି।ହେଲେ କୋରାପୁଟ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଏକ ଉଦାହରଣ ମାଧ୍ୟମରେ ଏହାର ଆଲୋଚନା କରିବା। କୋରାପୁଟ ଜିଲ୍ଲାର, କୋଟପାଡ଼ ତହସିଲ ଅନ୍ତର୍ଗତ ଗୁଆଳି ପଞ୍ଚାୟତର କିଛି ବାଲି ଘାଟ। ଏହି ଘାଟ ଗୁଡିକରେ ନିଲାମ ଡାକିବା ପୂର୍ବରୁ ଗ୍ରାମସଭା ଡକାଯାଇ ନଥିଲା। ନିୟମ ଆଖିରେ ଆଙ୍ଗୁଠି ମାରି,ପ୍ରଶାସନ ଗ୍ରାମ ସଭା ନ ଡାକି, ଏହି ବାଲି ଘାଟ ମାନଙ୍କର ନିଲାମ ଡାକିଲେ। ସୂଚନା ଅଧିକାର ମାଧ୍ୟମରେ ମିଳିଥିବା ସୂଚନା ଅନୁସାରେ ଦୁଇ ପ୍ରମୁଖ ଖବରକାଗଜରେ ଏହାର ଇସ୍ତାହାର ପ୍ରକାଶିତ ହୋଇଥିଲା। ଏହି ନିଲାମରେ ତିନି ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।ସେ ଭିତରୁ ଜଣେ କୌଣସି କାରଣରୁ ନିଲାମ ପ୍ରକ୍ରିୟାରୁ ଓହରି ଯାଇଥିଲେ।ବାକି ଥିବା ଦୁଇ ଜଣଙ୍କ ଭିତରୁ ଅଧିକ ଟଙ୍କାର ପ୍ରସ୍ତାବ ଦେଇଥିବା ବ୍ୟକ୍ତିକୁ ବାଲି ଉଠେଇବା ପାଇଁ ଅନୁମତି ଦେଇଥିଲେ ପ୍ରଶାସନ।ଏତେ ସବୁ ପ୍ରକ୍ରିୟା ସରିଗଲା, ହେଲେ ଗ୍ରାମସଭା ଡକାଯାଇ ପଞ୍ଚାୟତବାସୀଙ୍କ ମତନିଆଗଲା ନାହିଁ।ଏହାକୁ ପ୍ରତିବାଦ କରି ସ୍ଥାନୀୟ ସରପଞ୍ଚ, କୋଟପାଡ଼ ତହସିଲ ତଥା କୋରାପୁଟ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ହେଲେ କୁମ୍ଭକର୍ଣ୍ଣ ନିଦ୍ରା ରେ ଥିବା ପ୍ରଶାସନଙ୍କୁ ସରପଞ୍ଚଙ୍କ ଗୁହାରି ନା ଶୁଣାଗଲା, ନା ଦେଖାଦେଲା।ସରପଞ୍ଚ ଜଣଙ୍କ ନିଲାମ ପ୍ରକ୍ରିୟାର ସମସ୍ତ ଦସ୍ତାବିଜ ସୂଚନା ଅଧିକାର ମାଧ୍ୟମରେ କୋଟପାଡ଼ ତହସିଲଦାରଙ୍କୁ ମାଗିଲେ।ହେଲେ ଏହାର ମଧ୍ୟ ଉତ୍ତର ପାଇବାରୁ ବଞ୍ଚିତ ହେଲେ ସରପଞ୍ଚ। ଶେଷରେ ବାଧ୍ୟହୋଇ ହାଇକୋର୍ଟର ଆଶ୍ରୟ ନେଲେ ସରପଞ୍ଚ। ଓଡିଶା ହାଇକୋର୍ଟ ,କୋରାପୁଟ ଜିଲ୍ଲାପାଳ ଏବଂ କୋଟପାଡ଼ ତହସିଲଦାରଙ୍କୁ ନୋଟିସ ଜାରି କଲେ। ସମସ୍ତ ତଥ୍ୟ ଜାଣିବା ପରେ ମାନ୍ୟବର ହାଇକୋର୍ଟ ଗୁଆଳି ସରପଞ୍ଚଙ୍କ ସପକ୍ଷରେ ନ୍ୟାୟ ଦେଲେ।ସୂଚନା ଅଧିକାର ଆଇନ ମାଧ୍ୟମରେ ମଗାଯାଇଥିବା ତଥ୍ୟ କାହିଁକି ଦିଆଯାଇ ନାହିଁ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଆବେଦନକାରୀ ଙ୍କୁ ସମସ୍ତ ତଥ୍ୟ ଦେବା ପାଇଁ କୋଟପାଡ଼ ତହସିଲଦାରଙ୍କୁ ଆଦେଶ ଜାରି କରିଥିଲେ। ନିଲାମ ପ୍ରକ୍ରିୟାଟି ସେ ସମୟରେ ଖାରଜ କରାଯାଇଥିଲା। ବର୍ତ୍ତମାନ ସମୟରେ ପୁଣି ନିଲାମ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅଣ୍ଟା ଭିଡୁଛି ପ୍ରଶାସନ। ଓଡିଶା ହାଇକୋର୍ଟରୁ ପାଇଥିବା ଅପମାନ ରୂପୀ ଠେଙ୍ଗାମାଡକୁ ଆଖି ଆଗରେ ରଖି, ଏଥର କିନ୍ତୁ ନିଲାମ ପ୍ରକ୍ରିୟା ପୂର୍ବରୁ ଗ୍ରାମସଭା କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଶାସନ। ଆଉଥରେ ପୁଣି ଏକ ବିବାଦ କୋଟପାଡ଼ ତହସିଲକୁ ଅପେକ୍ଷା କରିଛି। ବିବାଦଟି ହେଲା ଗ୍ରାମସଭା ଡାକିବାର ବାକି ଅଛି, ନିଲାମ ଡକାଯାଇ ନାହିଁ। ଏହା ପୂର୍ବରୁ କୌଣସି ବ୍ୟକ୍ତି ନଦୀ କୁଳ ଏବଂ ନଦୀ ଭିତରେ ପ୍ରକଲେଇନ ମେସିନ ଲଗାଇ ରାସ୍ତା ନିର୍ମାଣ କଲାଣି। ଏଥିରୁ ସ୍ପଷ୍ଟ ହେଉଛି ଯେ ପୂର୍ବରୁ ନିଲାମ ପ୍ରକ୍ରିୟାଟି ଫିକ୍ସିଙ୍ଗ ହୋଇ ସାରିଛି।ଏହା ରାଜ୍ୟ ସରକାରଙ୍କ 5ଟି ଯୋଜନା ଗାଲରେ ଏକ ଶକ୍ତ ଚାପୁଡ଼ା କହିବା ଭୁଲ ହେବନି ବୋଲି ମତ ପ୍ରକାଶ ପାଇଛି।

କୋରାପୁଟ ପ୍ରତିନିଧି ଭବାନୀ ପାଢ଼ୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *