ନୂତନ କଲଭର୍ଟ ନିର୍ମାଣ ଦାବି

ଧର୍ମଶାଳା ୧୦/୧୧ : (ପ୍ରତିନିଧି ନାରାୟଣ ରଥ) ଜେନାପୁର ବୃନ୍ଦାଦେଇପୁର ଗ୍ରାମ୍ୟରାସ୍ତା ନିର୍ମାଣ ଅନିୟମିତତା ହେଉଥିବା ବିଜେପି ଜିଲ୍ଲା ସଂଯୋଜକ ମନୋଜ କୁମାର ମହାନ୍ତି ଅଭିଯୋଗ କରିଛନ୍ତି । ଗୁରୁବାର ସେ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଜାରକା ସ୍ଥିତ ଗ୍ରାମ୍ୟ ନିର୍ମାଣ ବିଭାଜନ ଯାଜପୁର -୨ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଜେନାପୁର ଥାନା ନିକଟରୁ ଆରମ୍ଭ ହୋଇଥିବା ଏହି ରାସ୍ତାରେ ନୂତନ କଲଭର୍ଟ ନିର୍ମାଣ କରିଛନ୍ତି । ସେ ସ୍ଥାନକୁ ସଂପ୍ରସାରଣ କରିବା କଥା । ହେଲେ ସେ ତାହା ନକରି ପୂର୍ବରୁ ଥିବା ଅଣ ଓସାରିଆ ରାସ୍ତାରେ ପିଚୁ ପକାଇ ବିଲ୍ ଉଠାଇ ନେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ୧ କିମି ରାସ୍ତା ବିଲ୍ ମଝିରେ ଯାଉଥିବାରୁ ରାସ୍ତାକୁ ସଂପ୍ରସାରଣ କରାଯାଇନାହିଁ ।ବର୍ଷାଦିନେ ରାସ୍ତାର ଅନେକାଂଶ ପାଣିରେ ବୁଡିଯାଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକମାନେ ବହୁ ଅସୁବିଧାରେ ଯାତାୟତ କରିଥାନ୍ତି ।ରାସ୍ତାର ଅନେକ ସ୍ଥାନରେ ଯେଉଁ କଲଭର୍ଟ ନିର୍ମାଣ କରାଯାଇଛି ତାହା ବିଲ ପତନର ହୋଇଥିବାରୁ ପାଣି ନିଷ୍କାସନରେ ବାଧକ ହୋଇଥାଏ । ରାସ୍ତାର ଦୁଇ ପାଶ୍ୱର୍ରେ ପାଣି ଜମି ରହିବା ଦ୍ୱାରା ରାତି ସମୟରେ ପଥଚାରୀଙ୍କ ଯାତାୟତ ସମୟରେ ସାପ, ବେଙ୍ଗର ଭୟ ରହିଥାଏ । ବୃନ୍ଦାଦେଇପୁରରୁ- ଜେନାପୁରକୁ ସଂଯୋଗ କରୁଥିବାରୁ ଗମନାଗମନ ପାଇଁ ଏହା ମୁଖ୍ୟ ରାସ୍ତା ହୋଇଛି । ଏହି ରାସ୍ତା ଦେଇ କବାଟବନ୍ଧ ସମେତ ବିଭିନ୍ନ ପଂଚାୟତର ଅଧବବାସୀ ଜେନାପୁର ଥାନା ଓ ରେଳ ଷ୍ଟେସନକୁ ଆସିଥାନ୍ତି । ୨.୪୦ କିମି ଲମ୍ବ ରାସ୍ତାର ୧ କି.ମି ବିଲ ମଝିରେ ପଡୁଥିବାରୁ ସନ୍ଧ୍ୟାହେଲେ ଏହି ରାସ୍ତାରେ ଯାତାୟାତ କରିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି । ପଂଚାୟତ ପକ୍ଷରୁ ରାସ୍ତା କଡରେ ବିଜୁଳି ଆଲୁଅ ଲଗାଇବାକୁ ମଧ୍ୟ ସାଧାରଣରେ ଦାବି ହେଉଛି । ପୂର୍ବରୁ ଏଠାରେ ଥିବା କଲଭର୍ଟଟି ଏବେ ଭାଙ୍ଗି ରୁଜି ଯାଇଥିବାରୁ ତାହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏଠାରେ ନୂତନ କଲଭର୍ଟ ନିର୍ମାଣ କରାଯାଇ ରାସ୍ତାକୁ ସଂପ୍ରସାରଣ କରାଗଲେ ଗମନା ଗମନ କ୍ଷେତ୍ରରେ ସୁଧାର ଆସିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ରାସ୍ତା କାମ ନିମନ୍ତେ ବିଭାଗ ପକ୍ଷରୁ ୯୮ ଲକ୍ଷ ୩୮ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ୧୯.୦୩.୧୮ ରେ କାମ ଆରମ୍ଭ ହୋଇ ୧୮.୦୩.୧୯ ରେ ଶେଷ ହୋଇଥିଲା । ରାସ୍ତାର ରକ୍ଷଣାବେକ୍ଷଣ ନିମନ୍ତେ ୫ ଲକ୍ଷ ୬୦ ହଜାର ଟଙ୍କା ବିଭାଗ ପାଖରେ ରହିଛି । ଏହି ବଳକା ଟଙ୍କାରେ ନୂତନ କଲଭର୍ଟ ନିର୍ମାଣ କରିବା ସହିତ ରାସ୍ତା ସଂପ୍ରସାରଣ କରିବାକୁ ଜିଲ୍ଲା ବିଜେପି ଯୁବ ସଂଯୋଜକ ଦାବି କରିଛନ୍ତି । ନଚେତ ଦଳୀୟ କର୍ମକର୍ତାଙ୍କୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।