ଧର୍ମଶାଳା ପୁସ୍ତକମେଳା ଉଦଯାପିତ

ଧର୍ମଶାଳା ୧୦/୧୧ : (ପ୍ରତିନିଧି ନାରାୟଣ ରଥ) ଧର୍ମଶାଳା ସାଧାରଣତନ୍ତ୍ର ଦିବସ ପାଳନ କମିଟି ଆନୁକୂଲ୍ୟରେ ଚତୁର୍ଥ ବାର୍ଷିକ ପୁସ୍ତକମେଳା ଶୁକ୍ରବାର ଶେଷ ହୋଇଛି । ମେଳା ପଡିଆରେ ବିଭିନ୍ନ ପ୍ରକାଶନ ସଂସ୍ଥା ପକ୍ଷରୁ ଲାଗିଥିବା ପୁସ୍ତକ ଷ୍ଟଲଗୁଡିକରେ ଜନଗହଳି ହୋଇଥିଲା । ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ , ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ ଓ ପାଠକଙ୍କର ସମାବେଶରେ ପରିବେଶ ବେଶ୍ ଚଳଚଂଚଳ ହୋଇ ଉଠିଥିଲା ୬ ଦିନ ଧରି । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଳା ବୁଲିବା ପାଇଁ ସଂଧ୍ୟା ହେଲା ମାତ୍ରେ ଆଖପାଖ ଅଂଚଳର ସାଧାରଣ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏନ୍ବିଟି ପ୍ରକାଶନ, ବିଜୟିନୀ, ଜେ. କ୍ରିଷ୍ଣମୂର୍ତି, ସାଇଯମୁନା, ସୂର୍ଯ୍ୟନାରାୟଣ. ଚିତ୍ରୋତ୍ପଳା, ଅଗ୍ରଦୂତ, ବର୍ଣ୍ଣମାଳା, ଗୀତାପ୍ରେସ୍ ଗୋରଖପୁର, ଅନୁରାଗ, ଶରଦ ଆଦି ପ୍ରକାଶନ ସଂସ୍ଥା ଏହି ପୁସ୍ତକମେଳାରେ ଯୋଗଦେଇଥିଲେ । ଷ୍ଟଲ୍ ଗୁଡିକରେ ଆଧ୍ୟାତ୍ମିକ ପୁସ୍ତକଠାରୁ ଆରମ୍ଭ କରି ଆଧୁନିକ ସାହିତ୍ୟର ବହୁ ପ୍ରସିଦ୍ଧ ଲେଖକଙ୍କର ପୁସ୍ତକ, ଛାତ୍ରଛାତ୍ରୀଙ୍କ ପାଇଁ ସାଧାରଣ ଜ୍ଞାନ ଠାରୁ ଆରମ୍ଭ କରି ଶବ୍ଦକୋଷ, ମହାପୁରୁଷଙ୍କ ଜୀବନୀ ଆଦି ପୁସ୍ତକମାନ ବହୁ ପରିମାଣରେ ବିକ୍ରି ହୋଇଛି ବୋଲି ଚିତ୍ରୋତ୍ପଳା ପ୍ରକାଶନର ପ୍ରକାଶନ କବି ସଦାଶିବ ଦାଶ ସୂଚନା ଦେଇଛନ୍ତି । ବୁଧବାର ଧର୍ମଶାଳା ପୁସ୍ତକମେଳା ଷଷ୍ଠ ସନ୍ଧ୍ୟାରେ କମିଟି ସଦସ୍ୟ ଗାଳ୍ପିକ ଅର୍ଜ୍ଜୁନ ପୃଷ୍ଟିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ମୁଖ୍ୟ ବକ୍ତା ଭାବେ ବ୍ୟାସନଗର ମହାବିଦ୍ୟାଳୟ ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଡିଓ ହେମନ୍ତ କୁମାର ସ୍ୱାଇଁ, ପୂର୍ବତନ ଥାନା ଅଧକାରୀ ଅମିତାଭ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଧର୍ମଶାଳା ଅଂଚଳ ସବୁଦୃଷ୍ଟିରୁ ଆଗୁଆ ।ସାହିତ୍ୟ ସଂସ୍କୃତି ଦୃଷ୍ଟିରୁ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଧର୍ମଶାଳା ଭଳି ଗ୍ରାମାଂଚଳରୁ ଉନ୍ନତମାନର ବହୁଳ ପତ୍ରପତ୍ରିକା ପ୍ରକାଶ ପାଇବା ଓ ପୁସ୍ତକ ମେଳାର ଆୟୋଜନ କରିବା ସାହିତ୍ୟ ପ୍ରତି ଅନୁରାଗକୁ ଉଜ୍ଜୀବିତ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ପଣ୍ଡିତ ବ୍ରଜକିଶୋର ଦାଶ ସ୍ୱାଗତ ଭାଷଣ ଦେଇଥିବାବେଳେ ଜୟପ୍ରକାଶ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା