Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖତ ଖାଉଛି ୨୦ରୁଅଧିକ ସିଟି ବସ୍, କୋଟି କୋଟି ଟଙ୍କା ପାଣିରେ ପଡିଯିବା ଚିତ୍ର ସ୍ପଷ୍ଟ

1 min read

ଜୟପୁର(ସଖପ୍ର): ସିଟି ବସକୁ ନେଇ ବିବାଦ ଆରମ୍ଭ ହୋଇଥିଲା, ବିବାଦରେ ଛନ୍ଦି ହୋଇ ବନ୍ଦ ହେଲା ବସ ସେବା।ସହରାଞ୍ଚଳ ବିକାଶ ଯୋଜନା ମାଧ୍ୟମରେ କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା ସିଟି ବସ୍‌ ସେବା। ଲକ୍ଷ୍ୟ ଥିଲା ଏହି ସେବା ମାଧ୍ୟମରେ ଗରିବଗୁରୁବା ଲୋକେ ଉପକୃତ‌ ହେବେ। ସହରରୁ ସହରକୁ ଏକ ସମ୍ପର୍କରେ ଯୋଡିବାକୁ ଏହି ୨୪ଘଣ୍ଟିଆ ବସ ସେବା ଦେବାକୁ ଉଦ୍ୟମ ମଧ୍ୟ କରିଥିଲା। ଆଉ ଏହି ସେବା ଯୋଗାଇବାରେ ୨୫ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ଏବେ କୋରାପୁଟ ଜିଲ୍ଲାରେ ବିଫଳ ହୋଇସାରିଛି ସିଟି ବସ ସେବା। ମାସେ ନୁହେଁ କି ଦୁଇ ମାସ ନୁହେଁ ପ୍ରାୟ ତିନି ବର୍ଷ‌ରୁ ଉର୍ଦ୍ଧ୍ବ ହେଲା ଏଲଆଇସି କାର୍ଯ୍ୟଳୟ ନିକଟରେ ଖତ ଖାଉଛି ୨୦ରୁ ଅଧିକ ସିଟି ବସ୍। କେତେ ଉତ୍ସାହ ଓ ଉଦ୍ଦୀପନାର ସହ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଜିଲ୍ଲାବାସୀ ଏହାର ସୁଫଳ ପାଇବେ ବୋଲି ଆଶା କରିଥିଲେ। ଯୋଜନାର ଶୁଭାରମ୍ଭ ଖୋଦ୍‌ ମୁଖ୍ୟମନ୍ତ୍ରୀ କରିଥିଲେ। ପ୍ରଥମ ଦିନ ତତ୍କାଳୀନ ଜିଲ୍ଲାପାଳ ସିଟି ବସ୍‌ରେ ଯାତ୍ରା କରି ଜିଲ୍ଲାବାସୀଙ୍କୁ ଏହାର ବାର୍ତ୍ତା ଦେଇଥିଲେ। ସିଟି ବସ୍‌ ଆରମ୍ଭ ପର ଠାରୁ ବିବାଦ ପିଛା ଛାଡୁନାହିଁ କି ଏହାର ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ। କେତେବେଳେ ଆନ୍ଦୋଳନ ପାଇଁ ବନ୍ଦ ତ ପୁଣି କେତେବେଳେ ପରମିଟ ପାଇଁ ବନ୍ଦ। ଶୁଭାରମ୍ଭ ପର ଠାରୁ ସିଟି ବସ୍‌ ବାରମ୍ବାର ଝୁଣ୍ଟିବା ଏବ˚ ବସ୍‌ ସେବା ବନ୍ଦ ହେବା ଫଳରେ ଏହାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।


ଜିଲ୍ଲାକୁ ଏହି ଯୋଜନା ମାଧ୍ୟମରେ ୨୦ଟି ବସ୍‌ ଆସିଥିବା ବେଳେ କୋରାପୁଟ ଜିଲ୍ଲାର ବିଭିନ୍ନ ସହର ସହ ଗାଁକୁ ମଧ୍ୟ ଏହି ସେବା ଯୋଗାଯାଉଥିଲା। ସିଟି ବସ୍‌ ସେବା ଯୋଗୁଁ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ, କଲେଜ ଛାତ୍ରଛାତ୍ରୀ ତଥା ସାଧାରଣ ଜନତା ଉପକୃତ ହେଉଥିଲେ। ପ୍ରଥମ ଥର ପାଇଁ ସିଟି ବସରେ ମହିଳା କଣ୍ତକ୍ଟର ବ୍ୟବସ୍ଥା କରାଯାଇ ଉଦାହରଣ ସୃଷ୍ଟି କରାଯାଇଥିଲା। ଏହି ବସ ସେବା ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ବେଳେ ଏବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉଚ୍ଚ ସ୍ତରୀୟ ତଦନ୍ତ ହେବା ଲାଗି ଦାବି ଉଠେଇଛନ୍ତି। କୋରାପୁଟ ଜିଲ୍ଲାର ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଯୋଜନା ଫେଲ ମାରିବା ସହ କୋଟି କୋଟି ଟଙ୍କା ପାଣିରେ ପଡିଯିବାର ଚିତ୍ରଦେଖି ନେଇ ସହରବାସୀ ଦୁଃଖ ପ୍ରକାଶ କରିଛନ୍ତି। ସମାଜସେବୀ ବସନ୍ତ ପାତ୍ର ଏହି ବିଷୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ କେନ୍ଦ୍ରରୁ ରାଜ୍ୟ ପରିବହନ କମିଶନରଙ୍କ ନିକଟକୁ ତୁରନ୍ତ ପଦକ୍ଷେପ ନେବାକୁ ଚିଠି ଆସିଥିବା ସୂଚନା ମିଳିଛି।

ପ୍ରତିନିଧି ସୀମଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *