Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଟିଆ ଗ୍ରାମପଞ୍ଚାୟତ ନେରେଡିବାଲସାରୁ ପରବର ଶୁଭାରମ୍ଭ

1 min read

କୋରାପୁଟଜିଲ୍ଲା୨୫/୧୦(ସଖପ୍ର): ଆଦିବାସୀ ଓ ଲୋକ ଉତ୍ସବ ପରବ ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଛି । ୨୫ ବର୍ଷ ପୂର୍ତି ପାଳନ ନିମନ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ସଭାଗୃହଠାରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ , ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଜିଲ୍ଲାପରିଷଦ ସଭାପତି ତୁଲସୀ କିର୍ସାନି ,କଲେଜ ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଲ ,କୋରାପୁଟ ଏସପି ବରୁଣ ଗୁଣ୍ଠୁପାଲି ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ , କୋଟପାଡ ବିଧାୟକ ତଥା ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀଙ୍କ ପ୍ରତିନିଧି ପଙ୍କଜ ପାତ୍ର , ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ବୈକୁଣ୍ଠ ମଣ୍ଡଳ ,କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଓ ରାମେଶ୍ୱର ପ୍ରଧାନ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜୟପୁର ଉପଜିଲ୍ଲାପାଳ ଗୋପୀନାଥ ସାରକା ପ୍ରମୁଖ ଉପସ୍ଥିତ ଥିଲେ ।

କୋରାପୁଟ ସରକାରୀ କଲେଜ ପଡିଆରେ ଡିସେମ୍ବର ମାସ ୧୭,୧୮ ଓ ୧୯ ତାରିଖ ତିନିଦିନ ବ୍ୟାପି ପରବର ମୁଖ୍ୟ ଉତ୍ସବ ପାଳନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଉତ୍ସବରେ ଅବିଭକ୍ତ କୋରାପୁଟ ଜିଲ୍ଲା , ଓଡିଶା ତଥା ଦେଶର ଆଦିବାସୀ ଓ ଲୋକନୃତ୍ୟ ପ୍ରଦର୍ଶନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । କୋଟିଆ ଗ୍ରାମପୁଞ୍ଜର ନେରେଡିବାଲସାଠାରେ ପରବ-୨୧ର ଶୁଭାରମ୍ଭ କରାଯିବ ବୋଲି ସେ ପ୍ରକାଶ କରିବା ସହ ନଭେମ୍ବର ମାସ ୨୦ ତାରିଖରେ ଏହା କରାଯିବା ନିମନ୍ତେ ସ୍ଥିର କରାଯାଇଥିବା ସେ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଭଳି ପଂଚାୟତ ତଥା ଗ୍ରାମପଂଚାୟତ ସ୍ତରରେ ପରବ ପାଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଚଳିତ ବର୍ଷ ପରବ ଉତ୍ସବ ପାଳନ କରିବାକୁ ରାଜ୍ୟ ସରକାର ଆର୍ଥିକ ଅନୁଦାନ ପ୍ରଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ସହରର ଉମୁରୀ ଗ୍ରାମକୁ ଯିବା ରାସ୍ତା ପାହାଡ ଜମିକୁ ପରବ ପଡିଆ କରାଯିବା ନିମନ୍ତେ ଭୂମି ପୁଜା କରାଯାଇଥିଲା ।ଉକ୍ତ ଜମି ଜଙ୍ଗଲ ବିଭାଗର ହୋଇଥିବାରୁ ଏ ପର୍ଯ୍ୟନ୍ତ ପରବ ପଡିଆ ନିର୍ମାଣ କରାଯାଇ ନ ଥିବାରୁ ତୁରନ୍ତ ଏହି ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ଆଣିବାକୁ ଉପସ୍ଥିତ ଜୟପୁର ବିଧାୟକ ଶ୍ରୀ ବାହିନିପତି ତଥା ଅନ୍ୟ ବିଧାୟକମାନେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ । ଏକ କମିଟି କରାଯିବ ଓ ଉକ୍ତ କମିଟି ଜମି ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବା ପରେ ଯାହା କିଛି ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜିଲ୍ଲାସ୍ତରୀୟ ସାଂସ୍କୃତିକ , କ୍ରୀଡା ଓ ଫୁଟବଲ ପ୍ରତିଯୋଗିତା ମଧ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପଟ୍ଟାଙ୍ଗୀ ବ୍ଲକର ବ୍ରିଟିଶ ରାସ୍ତାକୁ ବିକ୍ରମ ମାର୍ଗ ନାମରେ ନାମିତ କରିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରସ୍ତାବ ଦେଇଥିଲେ ।କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ମାଧବ ପାଙ୍ଗୀ ଯୋଗଦେଇ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ପରବ କମିଟିର ସମସ୍ତ ସଦସ୍ୟ/ସଦସ୍ୟା ଏବଂ ଜିଲ୍ଲାର ସମସ୍ତ ତହସିଲଦାର ,ବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ କୋଭିଡ କଟକଣା ଯୋଗୁଁ ୨୦୨୦ ମସିହାରେ ପରବ ଉତ୍ସବ ପାଳନ କରାଯାଇ ନ ଥିଲା ।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *