Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

‘ଓୟୁଜେ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମାନସ ମଙ୍ଗରାଜଙ୍କ ଘୋଷଣା,ସାମ୍ବାଦିକ ପାଇବେ ପେନ୍‌ସନ୍‌

1 min read

ଭୁବନେଶ୍ୱର ୨୨/୧୨ (ସଖପ୍ର) : ରାଜ୍ୟରେ ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ସମ୍ପର୍କିତ ପଦକ୍ଷେପକୁ ତ୍ୱରାନ୍ୱିତ କରାଯାଇ କାର୍ଯ୍ୟକାରୀ କରାଯିବ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ବୀମାରାଶିର ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷକୁ ବୃଦ୍ଧି କରାଯିବା ସହ ପେନ୍‌ସନ୍ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ରାଜ୍ୟର ପୁରାତନ ସାମ୍ବାଦିକ ସଙ୍ଗଠନ ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବୁଧବାର ଦିନ ସ୍ଥାନୀୟ ଜୟଦେବ ଭବନରେ ଏକ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଇଥିଲା । ୩୦ଟି ଯାକ ଜିଲ୍ଲାରୁ ସାମ୍ବାଦିକମାନେ ଏହି ସମ୍ମିଳନୀରେ ଯୋଗଦେଇ ଗଣମାଧ୍ୟମିକ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମଙ୍ଗରାଜ କହିଥିଲେ ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଓୟୁଜେ ପକ୍ଷରୁ ଉଠାଯାଇଥିବା ଦାବି ଉପରେ ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ବୀମା ରାଶିର ପରିମାଣକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସହ ପେନ୍‌ସନ୍ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବାକୁ ଯେଉଁ ଦାବି ହେଉଛି ସେହି ବାବଦରେ ବିଭିନ୍ନ ରାଜ୍ୟ ଗସ୍ତକରି ସେଠାରେ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ତିନୋଟି ପ୍ରତିନିଧି ଦଳଙ୍କୁ ପଠାଯିବ । ରିପୋର୍ଟ ମିଳିବା ପରେ ଏ ବାବଦରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଥିଲେ ।

ସେହିପରି ଡିଜିଟାଲ ମିଡ଼ିଆ ବାବଦରେ ଖୁବ୍‌ଶୀଘ୍ର ଏକ ନୀତି ପ୍ରଣୟନ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ମାଲକାନଗିରି ଜିଲ୍ଲାରେ ସାମ୍ବାଦିକମାନଙ୍କ ଗିରଫଦାରୀ ପ୍ରସଙ୍ଗରେ ସୂଚନା ଦେଇ ସେ କହିଥିଲେ ଯେ ରାଜ୍ୟ ସରକାର ଏ ବାବଦରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ଯାଉଛନ୍ତି । ରିପୋର୍ଟ ମିଳିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ରବି ଦାସ ରାଜ୍ୟରେ ସାମ୍ବାଦିକତା ଲାଗି ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବା ସହ ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ପୂରଣ ପାଇଁ ସରକାର ନିର୍ମାଣ ଶ୍ରମିକ ପାଣ୍ଠି ଢାଂଚାରେ ବିଜ୍ଞାପନ ଓ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ ।
ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି, ପ୍ରେସ୍ କାଉନସିଲ୍ ସଦସ୍ୟ ପ୍ରସନ୍ନ ମହାନ୍ତି ବୀମା ରାଶି ବୃଦ୍ଧି ସହ ପେନ୍‌ସନ୍ ଯୋଜନା ଲାଗୁକରିବା ଓ ଅଧିସ୍ୱୀକୃତି କମିଟି ଗଠନ କରି ନିୟମରେ ପରିବର୍ତ୍ତନ କରିବାକୁ ଦାବି କରିବା ସହ ମାଲକାନଗିରି ଘଟଣାର ତୀବ୍ର ନିନ୍ଦା କରି ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଓୟୁଜେର ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସଭାପତି କିଶାନ ରାଉତ ଓୟୁଜେର ଦାବି ସମ୍ପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଅନ୍ୟତମ ଉପସଭାପତି ଉପନ ସାହୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଓୟୁଜେର ଆଗାମୀ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଶିଶିର ଦାସ ଓ ପ୍ରମୋଦ ସାମନ୍ତରାୟ କାର୍ଯ୍ୟସୂଚୀ ଘୋଷଣା କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟର ୧୦ଜଣ ପ୍ରତିଭାବାନ୍ ସାମ୍ବାଦିକଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *