Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅଦରକାରୀ ସ୍କୁଟର ଇଞ୍ଜିନ ସାଜିଲା କୃଷକର ବନ୍ଧୁ

1 min read

ବାଲେଶ୍ବର,୦୮/୧୦ (ସଖପ୍ର):ଅଦରକାରୀ ସ୍କୁଟର ଇଞ୍ଜିନ ସାଜିଲା କୃଷକର ବନ୍ଧୁ । ଏପରି ଏକ ନିଚ୍ଛକ ସତ୍ୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ । ଘଟଣାରୁ ଜଣାଯାଇଛି ଯେ ଖଇରା ପଞ୍ଚାୟତ କଣ୍ଟିଗଡିଆ ଗ୍ରାମର ଭାସ୍କର ମହାରଣା, ଯାହାଙ୍କର ଖଇରା ବଜାରରେ ଏକ କମାରଶାଳ ଦୋକାନ ରହିଛି । ନିଜର କାରିଗରୀ ଶିକ୍ଷା ବଳରେ ସମସ୍ତଙ୍କୁ ଉତ୍ତମ ସେବା ପ୍ରଦାନ ଦ୍ବାରା ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ଶିକ୍ଷା ସମାପ୍ତ ପରେ ଶାଳକାମରେ ଦେଇଛନ୍ତି ମନ । ପୂର୍ବ ଚିନ୍ତିତ ବୈଜ୍ଞାନିକ ବୁଦ୍ଧିକୁ କାର୍ଯ୍ୟରେ ଲଗାଇ ହୋଇଛନ୍ତି ସଫଳ । ପ୍ରକାଶ ଥାଉକି ଶ୍ରୀ ମହାରଣା ଜଣେ ଦକ୍ଷ କାରିଗର । ସାମ୍ପ୍ରତିକ କରୋନା ମହାମାରୀ ସମୟରେ ନିଜର ବୈଜ୍ଞାନିକ ବୁଦ୍ଧି ବଳରେ ଏକ ପୁରୁଣା ଅଦରକାରୀ ସ୍କୁଟର ଇଞ୍ଜିନକୁ ବ୍ଯବହାର କରି ତିଆରି କରିଛନ୍ତି ପାୱାର ଟିଲର । ଯାହା କୃଷକର ବନ୍ଧୁ ପାଲଟିଛି । ଏପରି ନିର୍ମାଣ ବାଲେଶ୍ବର ଜିଲ୍ଲା କାହିଁକି ସମଗ୍ର ଓଡିଶାରେ ନାହିଁ । ଉକ୍ତ ପାୱାର ଟିଲର ସାହାଯ୍ୟରେ ଶ୍ରୀ ମହାରଣା ନିଜର ସମସ୍ତ ଚାଷଜମି ମଧ୍ୟ ଚାଷ କରିବାରେ ସଫଳତା ଅର୍ଜନ କରିଛନ୍ତି । ସୁଖିଲା ଓ ପାଣି ହଳ ହୋଇପାରୁଛି । ପାଖ ପଡୋଶୀ ଶ୍ରୀ ମହାରଣାଙ୍କ ପାୱାର ଟିଲର ନେଇ ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଛନ୍ତି । ଏପରି ନିର୍ମାଣ ପ୍ରଥମ କରି ଦେଖା ଯାଇଥିବାରୁ ବହୁ ଲୋକ ଦେଖିବା ସହିତ ଉପକୃତ ମଧ୍ୟ ହେଉଛନ୍ତି । ଖବରପାଇ ମାନ୍ଯବର ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ କଣ୍ଟିଗଡିଆ ଗ୍ରାମରେ ପହଞ୍ଚି ଏପରି ଆଶ୍ଚର୍ଯ୍ଯାନିତ୍ବ ନିର୍ମାଣ ଦେଖି ବହୁତ ଖୁସି ହେବା ସହିତ ନିର୍ମାଣ ସମ୍ବନ୍ଧରେ ପଚାରି ବୁଝିଥିଲେ । ଶ୍ରୀ ମହାରଣା ଆଗକୁ ଆହୁରି ଏହିପରି ଅନେକ କିଛି ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *