Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସର୍ବପୁରାତନ ସାପ୍ତାହିକ ‘ନବୀନ’ ସମ୍ବାଦପତ୍ରର ୯୩ତମ ସ୍ୱନକ୍ଷତ୍ର ଦିବସ ଅନୁଷ୍ଠିତ

1 min read

ଭୁବନେଶ୍ୱର (ସଖପ୍ର): ୧୯୩୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତରେ ପୂର୍ଣ୍ଣ ସ୍ୱରାଜ ଘୋଷଣା କରାଯାଇଥିଲା । ସେତେବେଳେ ଦେଶ ସ୍ୱାଧନୀତା ପାଇଁ ସଂଗ୍ରାମ କରୁଥିଲା । ଏହାର ପୂର୍ବରୁ ‘ନବୀନ’ ସମ୍ବାଦପତ୍ର ଆରମ୍ଭ ହୋଇଥିଲା । ଦେଶର ସ୍ୱାଧୀନତା ସଂଗ୍ରାମ ଓ ଭାଷା ପାଇଁ ଏହାର ବେଶ୍ ଅବଦାନ ଥିଲା । ସବୁ ପକ୍ଷପାତିତାକୁ ଛାଡି ସମର୍ପଣର ସହ ଏଯାବତ୍ ନିରବଚ୍ଛିନ୍ନ ଭାବେ ପରିପ୍ରକାଶ କରିଆସୁଛି ନବୀନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ରାଜ୍ୟର ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ର ୯୩ତମ ସ୍ୱନକ୍ଷତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି । ଆଜି ସ୍ଥାନୀୟ ଜୟଦେବ ଭବନଠାରେ ‘ନବୀନ’ର ୯୩ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ସ୍ୱାର୍ଥମୁକ୍ତ ଓ ଶ୍ରଦ୍ଧାଯୁକ୍ତ ଖବର ପରିବେଷଣ କରି ଆସୁଥିବାରୁ ‘ନବୀନ’ର ସମ୍ପାଦକ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଏହାର ସମସ୍ତ ପ୍ରାକ୍ତନ ସମ୍ପାଦକଙ୍କୁ ଧନ୍ୟବାଦ ଦେଇଥିଲେ । ‘ସତ୍ୟମ୍‌, ଶିବମ୍‌, ସୁନ୍ଦରମ୍‌’ ଏହି ମନ୍ତ୍ରକୁ ସମସ୍ତ ଗଣମାଧ୍ୟମ ଅନୁସରଣ କଲେ ଲୋକଙ୍କ ପାଖରେ ନିଶ୍ଚୟ ଆଦୃତ ହେବ । କୋଭିଡ୍ ଯୋଗୁ ଗଣମାଧ୍ୟମ ଶିଳ୍ପ ଅନେକ ସମସ୍ୟା ଦେଇ ଗତି କରୁଛି ସତ । କିନ୍ତୁ ଆପଣ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତୁ ବା ନକରନ୍ତୁ ଯଦି ସତ୍ୟ, ଶିବ ଓ ସୁନ୍ଦର ମନ୍ତ୍ରରେ ଭଲ ଓ ନୈତିକତାପୂର୍ଣ୍ଣ ଖବର ପରିବେଷଣ କରିବେ ଲୋକେ ତାକୁ ନିଶ୍ଚୟ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଗତ କିଛି ଦିନ ତଳେ ମାନ୍ୟବର ସୁପ୍ରିମକୋର୍ଟ ଦେଶର ଗଣମାଧ୍ୟମକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ଏଥିରେ ଛାପା ବା ମୁଦ୍ରିତ ଗଣମାଧ୍ୟମ ନୈତିକତାର ପରିସୀମା ଭିତରେ ରହି କାମ କରୁଛି ବୋଲି ମନ୍ତବ୍ୟ ଦେଇଥିଲେ । ଏହା ଶୁଭ ସୂଚନା । ମୁଦ୍ରିତ ଗଣମାଧ୍ୟମ ବା ଖବରକାଗଜର ଯେଉଁ ସ୍ୱାତନ୍ତ୍ରତା ଥିଲା ତାହା ସବୁବେଳେ ବଜାୟ ରହିବ । ଖବରର ଦୌଡରେ ଏହା ଆଦୌ ଫିକା ପଡିବନି । ଟିଭି ଓ ସାମାଜିକ ଗଣମାଧ୍ୟମରେ ଯେତେ ଖବର ଦେଖିଲେ ବି ସକାଳୁ ଖବରକାଗଜ ନ ପଢିଲେ ଭଲ ଲାଗେନି ବୋଲି ମନ୍ତ୍ରୀ କହିଥିଲେ । ସମ୍ବାଦର ସମ୍ପାଦକ ତଥା ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଥିଲେ, ବିଜ୍ଞାନ ଏବେ ଖବର ପହଞ୍ଚାଇବାର ଅନେକ ବିକଳ୍ପ ସୃଷ୍ଟି କରିଛି । ଛାପା କାଗଜର ଚାହିଦା କମୁଛି । ଦୈନିକ ସମ୍ବାଦପତ୍ର ବି ବାସି ହୋଇଗଲାଣି । ତେବେ ଏଭଳି ସ୍ଥିତିରେ ଖବର ପଛର ଖବରକୁ ତର୍ଜମା କରି ଖବର ପରିବେଷଣ କଲେ ସାପ୍ତାହିକର ସ୍ଥିତିରେ ସୁଧାର ଆସିପାରିବ ବୋଲି ସେ ମତ ରଖିଥିଲେ । ତେବେ ରାଜନୀତି ହେଉ କି ସମ୍ବାଦପତ୍ର ବା ନିଜସ୍ୱ ମତ ଦେବାର ଅଧିକାର ମାଧ୍ୟମରେ ସମାଜର ତ୍ରୁଟି ଦେଖାଇବା ଅଭ୍ୟାସ ଜାରି ରହୁ । ତ୍ରୁଟି ଦେଖାଇବାରୁ ପଛକୁ ହଟିବା ଉଚିତ ନୁହେଁ । ତ୍ରୁଟି ବାହାରିଲେ ଏହାକୁ ସୁଧାରି ହେବ । ପ୍ରଶ୍ନ କରିବାର ଅଧିକାର ଆଦୌ ବ୍ୟାହତ ହେବା ଉଚିତ ନୁହେଁ ବୋଲି ଶ୍ରୀପଟ୍ଟନାୟକ କହିଛନ୍ତି । କେବେ ଓଡି଼ଆ ଭାଷାର ଶତ୍ରୁ ଅନ୍ୟ କେଉଁଠି ନୁହେଁ ବରଂ ଆମ ନିଜ ଭିତରେ ସୃଷ୍ଟି ହେଲାଣି । ଇଂରାଜୀ ନ ପଢିଲେ ପିଲା ଆଗକୁ ଯିବନି । ଏ ଧାରଣା ବଦଳୁ । ପିଲା ଇଂରାଜୀ ସହିତ ନିଜ ମାତୃଭାଷା ଓଡିଆ ପଢିବାର ଅନେକ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି । ଓଡ଼ିଶା ପର୍ଯ୍ୟଟନ ନିଗମର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ତାଙ୍କ ବକ୍ତବ୍ୟରେ ଅଯଥା ତ୍ରୁଟି ଦେଖାଇବାରୁ ବିରତ ରହିବାକୁ ମତ ଦେଇଥିଲେ । ‘ନବୀନ’ ସମ୍ବାଦପତ୍ର ତାର ସମୃଦ୍ଧସମ୍ପନ୍ନ ଇତିହାସକୁ ଆଗାମୀ ଦିନରେ ବଜାୟ ରଖୁ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ବରିଷ୍ଠ ସାମ୍ବାଦିକ ତଥା ‘ନବୀନ’ର ସମ୍ପାଦକ ରବି ରଥ ସ୍ୱାଗତ ଭାଷଣ ଦେଇଥିଲେ । ନବୀନ ଖାଲି ଦକ୍ଷିଣ ଓଡିଶାର ସ୍ୱର ନ ଥିଲା, ବରଂ ଏହା ଓଡିଶାର ସ୍ୱାଧୀନତା, ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ନିରବଚ୍ଛିନ୍ନ ପ୍ରୟାସ କରିଆସିଛି । ଆଗାମୀ ଦିନରେ ‘ନବୀନ’ର ୧୦୦ ବର୍ଷ ପୂରଣ ପାଇଁ ଆମେ ଚେଷ୍ଟା ଜାରି ରଖିବୁ ବୋଲି ସେ କହିଥିଲେ । ବିଜେବି କଲେଜର ପୂର୍ବତନ ପ୍ରଫେସର ତଥା ଐତିହାସିକ କୈଳାସ ଚନ୍ଦ୍ର ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନବୀନର ଗୌରବମୟ ଇତିହାସକୁ ଉପସ୍ଥାପନ କରିଥିଲେ । ଓଡିଶାର ପ୍ରଗତିଶୀଳ ସାହିତ୍ୟର ଧାରା ନବୀନରୁ ଆରମ୍ଭ ହୋଇଥିଲା । ରମାଦେବୀ ଓ ମାଳତୀଦେବୀଙ୍କ ସଂଘର୍ଷଠାରୁ ନେଇ ସଚ୍ଚି ରାଉତରାୟ, ରମାକାନ୍ତ ରଥ, କୁନ୍ତଳା କୁମାରୀଙ୍କ ଲେଖା ଏଥିରେ ସ୍ଥାନିତ ହେଉଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ସମ୍ବାଦପତ୍ରକୁ ବେଶ୍‌ ଆଦର କରିବା ସହ ପ୍ରଂଶସା କରୁଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ବଡିବିଲ୍ଡର ତଥା ସମାଜସେବୀ ଏସ୍ ଅଜିତସ୍ୱାମୀ ପାତ୍ର ଓ ସମାଜସେବୀ ତଥା କୋରାପୁଟ ଶୋଭାର ସମ୍ପାଦକ ସଞ୍ଜିତ କୁମାର ପଟ୍ଟନାୟକଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ‘ନବୀନ’ର ପ୍ରକାଶିକା ମଞ୍ଜୁ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଆର ବିଭିନ୍ନ ଜିଲ୍ଲାରୁ ପ୍ରକାଶିତ ସମ୍ବାଦପତ୍ରର ସମ୍ପାଦକ ଯୋଗ ଦେଇଥିଲେ ଓ ବିଭିନ୍ନ କ୍ଷେତ୍ରର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.