Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ସଦର ମହକୁମାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

1 min read

କୋରାପୁଟ ୨୦/୧୧(ସଖପ୍ର): କୋରାପୁଟ ସଦରସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ , କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ପଟ୍ଟାଙ୍ଗୀ ବିଧାୟକଙ୍କ ପ୍ରତିନିଧି ଅନନ୍ତରାମ ମାଟାମ, ଲିଡ ବ୍ୟାଙ୍କ ମ୍ୟାନେଜର ଲିଙ୍ଗରାଜ ସାହୁ ପ୍ରମୁଖଙ୍କ ସହ କୃଷି ସମବାୟ ବିଭାଗ ଅଧିକାରୀଙ୍କ ସହ ମିଲର ଓ ଚାଷୀମାନେ ଉପସ୍ଥିତ ଥିଲେ ।

କୋରାପୁଟ ଜିଲ୍ଲାରୁ ୨୨ଲକ୍ଷ କ୍ଵିଣ୍ଟାଲ ଖରିଫ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲାରେ ୩୮ ହଜାର ୭୦୬ ଜଣ ଚାଷୀ ପଞ୍ଜିକୃତ କରିଥିବା ସେ ସୂଚନା ଦେଇଛନ୍ତି। ୧୬୪୯ ଜଣ ଅଯୋଗ୍ୟ ଚାଷୀଙ୍କ ନାମ କଟାଯାଇଥିବା ସେ ପ୍ରକାଶ କରିଛନ୍ତି । ଜିଲ୍ଳାର କୋରାପୁଟ ଓ ଜୟପୁର ଉପଖଣ୍ଡରେ ୧୦୩ ଟି ମଣ୍ଡି ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ଆସନ୍ତା ଡିସେମ୍ବର ମାସ ୧୫ ତାରିଖରୁ ଧାନ କ୍ରୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋରାପୁଟ ଏସିଏସଓ ନରସିଂହ ବେହେରା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ଜୟପୁର ଆରଏମସିରେ ୧୦୦ କୋଟି ଟଙ୍କା ଗଛିତ ଥିବା ବେଳେ ଭିତ୍ତିଭୂମିର ବିକାଶ ହେଉ ନ ଥିବା ଜିଲ୍ଲା କୃଷକ କଲ୍ୟାଣ ମଞ୍ଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଅଭିଯୋଗ କରିଛନ୍ତି। ପ୍ରତି ବସ୍ତାପିଛା ୫ରୁ ୭କେଜି କଟା ଯାଉଥିବା, ଖାଲି ଅଖା ଅର୍ଥ ଦିଆଯାଉ ନ ଥିବା ଓ ହ୍ୟାଣ୍ଡଲିଂ ଚାର୍ଜ ଚାଷୀ ବହନ କରୁଥିବା ସେ ଆହୁରି ଅଭିଯୋଗ କରିଥିଲେ । ପ୍ରଶାସନିକ ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଇଚ୍ଛା ଶକ୍ତିର ଅଭାବ ରହିଥିବାରୁ ଚାଷୀକୁଳ ହତାଶରେ ରହିଥିବା ସେ ପୁନଶ୍ଚ ଅଭିଯୋଗ କରିଥିଲେ। ଚାଷୀଙ୍କ ସମସ୍ୟା ପ୍ରଥମେ ବୁଝିବାକୁ ଚେଷ୍ଟା କରିବା ପରେ ପ୍ରତିକାର ପାଇଁ ଚେଷ୍ଟା କରିବାକୁ ସେ ପ୍ରଶାସନ ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ନିବେଦନ କରିଛନ୍ତି।ଏହିଭଳି ଅଭିଯୋଗ ଆସି ନ ଥିବା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *