Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡ଼ିଆକୁ ଆଦିବାସୀ ଭାଷାର ମାନ୍ୟତା ଦେଲା ଆନ୍ଧ୍ର, ସାଧାରଣରେ ଚର୍ଚ୍ଚା

1 min read

ଭୁବନେଶ୍ୱର(ସଖପ୍ର): ଗତ କିଛିଦିନ ପୂର୍ବେ ଅମରାବତୀଠାରେ ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରା ଆଦିବାସୀ ଭାଷାରୁ ତେଲୁଗୁ ଓ ଇଂରାଜୀ ଶିଖିବା ପାଇଁ ଆବଶ୍ୟକ ପୁସ୍ତକର ଉନ୍ମୋଚନ କରିଥିଲେ। ଓଡ଼ିଶା – ଆନ୍ଧ୍ର ସୀମାନ୍ତରେ କୁହା ଯାଉଥିବା ସଉରା ଓ କୁଇ ଭଳି ଆଦିବାସୀ ଭାଷାରେ ଏହି ପୁସ୍ତିକା ରଚନା ହୋଇଥିବା ବେଳେ ଓଡ଼ିଆ ଭାଷାକୁ ମଧ୍ୟ ଆଦିବାସୀ ଭାଷା ଭାବେ ପରିଗଣିତ କରାଯାଇଛି ଓ ସୀମାନ୍ତ ବର୍ତ୍ତି ଅଞ୍ଚଳ ରେ ଓଡ଼ିଆ ଜାଣିଥିବା ପିଲାମାନେ କିପରି ସହଜରେ ତେଲୁଗୁ ଶିଖି ପାରିବେ ସେ ଦିଗରେ ଚେଷ୍ଟା କରି ସ୍ବତନ୍ତ୍ର ପୁସ୍ତକ ପ୍ରକାଶିତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।
ଆନ୍ଧ୍ର ସରକାରଙ୍କ ଦ୍ଵାରା କୋଟିଆ ଭଳି ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଆଦିବାସୀ ମାନଙ୍କ ଉଦ୍ଦେଶ୍ୟ ରେ ଏହି ପୁସ୍ତକ ପ୍ରକାଶ କରା ଯାଇଥିବା ବେଳେ ଏଗୁଡ଼ିକର ପ୍ରଚଳନ କରିବା ପାଇଁ ପ୍ରସ୍ତୁତି ଜୋର ଧରିଛି। ଆନ୍ଧ୍ରର ଏହି ପଦକ୍ଷେପକୁ ଆମ କୋଟିଆ ସଂଗଠନର ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ଘୋର ନିନ୍ଦା କରିଛନ୍ତି ଓ କିଛି ବର୍ଷ ପୂର୍ବେ ଆଦିବାସୀ ଭାଷା ଗବେଷକ ଗୋବର୍ଦ୍ଧନ ପଣ୍ଡାଙ୍କ ରଚିତ କୁଇ – ଓଡ଼ିଆ ପୁସ୍ତକର ପୁନଃମୁଦ୍ରଣ ଆମ କୋଟିଆ ସଂଗଠନ ଦ୍ଵାରା କରାଇ କୋଟିଆ ପଞ୍ଚାୟତରେ ବାଣ୍ଟିବା ଆରମ୍ଭ କରିଥିବା ଜଣାଇଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ପଦ୍ମଶ୍ରୀ ବାବା ବଳିଆଙ୍କ କରକମଳରେ ଉନ୍ମୋଚିତ ହୋଇଥିବା ଏହି ପୁସ୍ତକଗୁଡ଼ିକୁ ଏହି ପଞ୍ଚାୟତର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ତଥା ପିଲାମାନଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କରିଛନ୍ତି। ମାତ୍ର ଆନ୍ଧ୍ର ସରକାରଙ୍କ ପ୍ରବଳ ଇଚ୍ଛାଶକ୍ତି ଆଗରେ ଏହି ପ୍ରୟାସ ଗୌଣ ଭଳି ମାନେ ହେଉଛି ବୋଲି ଶ୍ରୀ ପରିଡ଼ା ମତ ରଖିଛନ୍ତି। ଓଡ଼ିଶା ସରକାର ଆନ୍ଧ୍ର ର ଏହି ଚାଲେଞ୍ଜ କୁ ସାମ୍ନା କରି ତତ୍ପରତା ଦେଖାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆମ କୋଟିଆ ସଂଗଠନର ପ୍ରୟାସ ଦ୍ଵାରା ଛପା ଯାଇଥିବା ଏହି ପୁସ୍ତକଗୁଡ଼ିକ କୋଟିଆ ଅଞ୍ଚଳରେ ଓଡ଼ିଆ ଓ କୁଇ ଭାଷାର ସୁରକ୍ଷା ପାଇଁ ଉପଯୋଗୀ ହେବ ବୋଲି ଏହି ପୁସ୍ତକର ଲେଖକ ଗୋବର୍ଦ୍ଧନ ପଣ୍ଡା କହିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *